01/06/2025
ରୂପାଲି ଛକ ଭୁବନେଶ୍ୱର,
ଅନ୍ତର୍ଜାଲରୁ ସଂଗୃହିତ...
ରାଜଧାନୀ ଭୁବନେଶ୍ୱର....
ଏଠି ଅନେକ ଛକର ସମାବେଶ। ତନ୍ମଧ୍ୟରୁ ସହୀଦନଗର ଭଳି ଭିଭିଆଇପି ଅଞ୍ଚଳରେ ଏକ ଛକ ହେଲା "ରୁପାଲୀ ଛକ"।
କିଏ ସେ ରୁପାଲୀ....
କେଉଁଠି ସେ ରୁହେ....
କେଉଁଠୁ ଆସିଲା,
କେବେ ଆସିଲା,
କେମିତି ଆସିଲା....
କେଉଁଠି ଓ କିପରି ରହୁଛି....
ଏମିତି ଅସୁମାରୀ ପ୍ରଶ୍ନ ମନରେ ଉଙ୍କିମାରେ !!
ପ୍ରକୃତରେ ଭୁବନେଶ୍ୱରବାସୀ କଣ ରୁପାଲୀକୁ ଜାଣିଛନ୍ତି ନା କେବେ ଦେଖିଛନ୍ତି ???
ସତୁରୀ ଦଶକର କଥା। ସେତେବେଳେ ଏହି ଛକର ନାଁ ରୁପାଲୀ ଛକ ନ ଥିଲା। ସମସ୍ତେ ଏହି ଛକକୁ ଫୁଡ଼ କର୍ପୋରେସନ ଛକ ବୋଲି କହୁଥିଲେ। ଯେହେତୁ ପାଖରେ ଏଫ. ସି. ଆଇ. ଅଫିସ ଥିଲା। ଆଖପାଖରେ ବଜାର ତ ଦୂରର କଥା ଚାଳିଆ ଦୋକାନ ଖଣ୍ଡେ ବି ନଥିଲା। ନାଲି ରଙ୍ଗର ଓଏସଆରଟିସି ଓ ଫିକା ନୀଳ ରଙ୍ଗର ଓଆରଟି ସରକାରୀ ବସ କେଇଖଣ୍ଡ ଏହି ବାଟ ଦେଇ ଯାତାୟତ କରୁଥିଲା। କି ଦିନ, କି ରାତି ଆଜି ଏହି ଛକରେ ପ୍ରବଳ ଜନ ଗହଳି... କିନ୍ତୁ ସେହି ସତୁରୀ ଦଶକରେ ସୂର୍ଯ୍ୟ ନଇଁ ଆସିଲା ବେଳକୁ, ମଣିଷ ବଦଳରେ କୋକିଶିଆଳି ରାସ୍ତା ଉପରେ ହୁ କେ ହୁ ବୋବାଳି କରି ବିଚରଣ କରୁଥିବାର ଦେଖିବାକୁ ମିଳୁଥିଲା।
ସେହି ସମୟରେ ଛତ୍ରପୁର ଚିକଲଖଣ୍ଡିରୁ ଭୁବନେଶ୍ୱର ଆସିଥିଲେ ଜି. ପାପ୍ପା ରାଓ। ଫୁଡ଼ କର୍ପୋରେସନ ଛକରେ ରାସ୍ତାକୁ ଲାଗି ଝୁମ୍ପୁଡ଼ି ହୋଟେଲଟିଏ ଖୋଲିଲେ। ଆଉ ନାଁ ଦେଇଥିଲେ *"ରୁପାଲୀ ହୋଟେଲ"*। ଚିକଲଖଣ୍ଡିରେ ଥିବା ତାଙ୍କ ସାନଭାଇର ଝିଅ ରୁପାଲୀକୁ ସେ ଭାରି ଭଲ ପାଉଥିଲେ। ତେଣୁ ଝିଆରୀ ନାମରେ ହୋଟେଲର ନାଁ ରଖିଥିଲେ।
ଏ ହୋଟେଲରେ ସକାଳୁ ସକାଳୁ ଇଡ଼ଲି, ବରା, ଗୁଲୁଗୁଲା, ସମ୍ବର ଆଉ ପାଣିଆ ଘୁଗୁନି ମିଳେ, ପାଣିଆ ହେଲେ ବି ଟେଷ୍ଟି ଥିଲା। ତା'ସହିତ ଚାହା। ଚାହା ରାଓ ବାବୁଙ୍କ ଝିଅ ଲକ୍ଷ୍ମୀ ନିଜେ ବନେଇକି ଦେଉଥିଲା। ଆଉ ଦ୍ବିପହରରେ ଏଠି ଆମିଷ ନିରାମିଷ ସବୁ ମିଳୁଥିଲା। ଧୀରେ ଧୀରେ ଚାହିଦା ଏମିତି ବଢ଼ିଲା ଯେ ଝୁମ୍ପୁଡ଼ିରୁ ଆଜବେଷ୍ଟସ ଘରଟିଏ ପାଲଟିଗଲା।
ବାଣୀବିହାର କ୍ୟାମ୍ପସରୁ ଆରମ୍ଭକରି ଆଖପାଖ ଅଞ୍ଚଳରେ ବେଶ ପ୍ରସିଦ୍ଧ ଥିଲା ଏହି *ରୁପାଲୀ ହୋଟେଲ*। କାଳକ୍ରମେ ଫୁଡ଼ କର୍ପୋରେସନ ଛକରୁ ଏହା *"ରୁପାଲୀ ଛକ"* ପାଲଟିଗଲା। ହେଲେ ରାଓଙ୍କ ଝିଆରୀ ରୁପାଲୀ କେବେ ବି ଏହି ହୋଟେଲକୁ ଆସି ନାହାନ୍ତି କି ଭୁବନେଶ୍ୱର ମଧ୍ୟ ଦେଖି ନାହାନ୍ତି। ରାଓଙ୍କ ଝିଅ ଲକ୍ଷ୍ମୀ ବାପାଙ୍କ ସହିତ ହୋଟେଲରେ ବସୁଥିଲେ। ଅନେକ ତାଙ୍କୁ ହିଁ ରୁପାଲୀ ବୋଲି ଭାବୁଥିଲେ।
1982ରେ ରୁପାଲୀ ହୋଟେଲ ଠିଆ ହୋଇଥିବା ଜାଗାରେ ଜମି ବିବାଦ ମୁଣ୍ଡ ଟେକିଲା। ତାର ପରିଣାମ ସ୍ୱରୂପ ସୁଆଦିଆ ଖାଦ୍ୟ ପରଷୁଥିବା ରୁପାଲୀ ହୋଟେଲଟି ଚିରଦିନ ପାଇଁ ବନ୍ଦ ହେଇଗଲା।
ଯେଉଁ ଝିଅ ରୁପାଲୀ ନାଁରେ ଛକଟିର ନାମକରଣ ହୋଇଛି, ପ୍ରାୟ 40 ବର୍ଷ ତଳୁ ତାଙ୍କର ମୃତ୍ୟୁ ହୋଇ ସାରିଛି। କିନ୍ତୁ, ରାଜଧାନୀ ଭୁବନେଶ୍ୱର ବୁକୁରେ ତାଙ୍କ ନାଁ ସବୁଦିନ ପାଇଁ ରହିଯାଇଛି।