31/05/2026
ଷ୍ଟେସନ୍, ସମୁଦ୍ର ଓ ନିରବତା
-----------------------------------
ଚାପ୍ଟର ୧
-----------
- କିଛି ଯାତ୍ରା ଟିକେଟ୍ରୁ ଆରମ୍ଭ ହୋଇ, ହୃଦୟର ଗଭୀରତାରେ ଯାଇ ଶେଷ ହୁଏ।
ରବିବାର, ୨୯ ମଇ ୨୦୦୫।
ସେ ଦିନଟା ଆଜି ମଧ୍ୟ ମୋ ମନରେ ସେଇ ଟ୍ରେନର ସିଟିର ଶବ୍ଦ ଭଳି ଗୁଞ୍ଜିଉଠେ। ଭୁବନେଶ୍ୱର ଷ୍ଟେସନରୁ ଆମେ ଚଢିଥିଲୁ “ହାଉରା –କନ୍ୟାକୁମାରୀ ସୁପରଫାଷ୍ଟ ଏକ୍ସପ୍ରେସ” ରେ।
ସେ ସମୟଟା ଆଜିର ଭଳି ନୁହେଁ। ହାତରେ ସ୍ମାର୍ଟଫୋନ୍ ନଥିଲା, ଇଣ୍ଟରନେଟ୍ ନଥିଲା, ଅନଲାଇନ୍ ବୁକିଂର ସୁବିଧା ନଥିଲା। ଟିକେଟ୍ କନଫର୍ମ ହେଲା କି ନାହିଁ ଜାଣିବା ପାଇଁ ମଧ୍ୟ ବାପାଙ୍କୁ ବାରମ୍ବାର ଷ୍ଟେସନ୍ ଯିବାକୁ ପଡୁଥିଲା।
ଆଜି ଭାବିଲେ ଆଶ୍ଚର୍ୟ ଲାଗେ — ଏତେ ବଡ଼ ଦକ୍ଷିଣ ଭାରତ ଭ୍ରମଣର ସମସ୍ତ ଯୋଜନା, ଟ୍ରେନ୍ ଟିକେଟ୍, ରହିବା ବ୍ୟବସ୍ଥା ଆଉ ଖର୍ଚ୍ଚର ହିସାବ ବାପା ଏକା ହାତରେ ସମ୍ଭାଳିଥିଲେ। ସେ ସମୟରେ ଏଭଳି ଭ୍ରମଣ ପ୍ଲାନ୍ କରିବା ସତରେ କୌଣସି ଛୋଟ କଥା ନଥିଲା।
ଆମ ପାଖରେ ଥିଲା ପାଞ୍ଚୋଟି ଟିକେଟ୍ — ବାପା, ମା, ମୋ ଭାଇ, ମୁଁ ଆଉ ମୋ ଆଜା।।ଭାଇ ନୂଆ ନୂଆ ଦ୍ୱାଦଶ ପରୀକ୍ଷା ଶେଷ କରିଥିଲା, ଆଉ ମୁଁ ଅଷ୍ଟମ ଶ୍ରେଣୀର ଛାତ୍ର। ଆମ ଦୁହିଁଙ୍କର ଉତ୍ସାହ କହିଲେ ନ ସରେ।। କାରଣ ଏହା ଆମର ପ୍ରଥମ ଦୂର ଯାତ୍ରା — ଓଡ଼ିଶା ବାହାରେ, ପ୍ରାୟ ୧୮ ଦିନର ଏକ ସ୍ୱପ୍ନିଲ ଭ୍ରମଣ।
କିଛି ସମୟର ଅପେକ୍ଷା ପରେ ପ୍ଲାଟଫର୍ମ ନମ୍ବର ୪ରେ ଧୀରେ ଧୀରେ ପ୍ରବେଶ କଲା ଆମ “ହାଉରା – କନ୍ୟାକୁମାରୀ ସୁପରଫାଷ୍ଟ ଏକ୍ସପ୍ରେସ”। ଟ୍ରେନ୍ ଆସିବା ପୂର୍ବରୁ ହିଁ ଆମେ ଜାଣିସାରିଥିଲୁ ଆମ ବଗି କେଉଁଠି ଲାଗିବ। ସେଥିପାଇଁ ବାପା ଆମକୁ ନେଇ ଆଗରୁ ସେଇ ସ୍ଥାନରେ ଯାଇ ଠିଆ କରେଇଥିଲେ।
ପ୍ଲାଟଫର୍ମରେ ଚା’ ବାଲାଙ୍କ ଡାକ, କୁଲିମାନଙ୍କ ଦୌଡ଼ାଦୌଡ଼ି, ଲୋକମାନଙ୍କ ଭିଡ଼ ଆଉ ଟ୍ରେନର ଇଞ୍ଜିନର ଗମ୍ଭୀର ଶବ୍ଦ — ସବୁକିଛି ମିଶି ଏକ ଅଜଣା ଉତ୍ସାହର ପରିବେଶ ସୃଷ୍ଟି କରୁଥିଲା।
ସେତେବେଳେ ଟ୍ରେନ୍ ଯାତ୍ରା କେବଳ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ନଥିଲା, ଏହା ନିଜେ ଗୋଟିଏ ପର୍ବ ଭଳି ଲାଗୁଥିଲା।
ରାତି ପ୍ରାୟ ସାଢେ ଦଶଟାରେ ଟ୍ରେନ୍ ଛାଡିଲା। ଧୀରେ ଧୀରେ ଭୁବନେଶ୍ୱରର ଆଲୋକ ଅନ୍ଧାରରେ ହଜିଗଲା। ଟ୍ରେନର ଝିଙ୍କାର ଶବ୍ଦ ଆଉ ଝରକା ପାଖରୁ ଦୌଡୁଥିବା ଅନ୍ଧାର ମୋ ମନରେ ଏକ ଅଜଣା ରୋମାଞ୍ଚ ଭରିଦେଉଥିଲା।
ପରଦିନ ସକାଳ ୫ଟା ବେଳେ ଟ୍ରେନ୍ ପହଞ୍ଚିଲା ବିଶାଖାପଟ୍ଟଣମ୍। ଘୁମୁଘୁମୁ ଆଖିରେ ଝରକା ବାହାରକୁ ଚାହିଁ ଦେଖିଲି ଷ୍ଟେସନ୍ ବୋର୍ଡ। ହିନ୍ଦୀ ଏବଂ ଇଂରାଜୀ ପଢିପାରୁଥିଲି, କିନ୍ତୁ ସେଥିରେ ଥିବା ଅନ୍ୟ ଗୋଟିଏ ଲିପି ମୋ ମନରେ ଅସୀମ କୌତୁହଳ ଜଗାଇଦେଲା। ସେଟା ଥିଲା ତେଲୁଗୁ ଅକ୍ଷର।
ତା’ପରୁ ମୋର ଏକ ନୂଆ ଖେଳ ଆରମ୍ଭ ହେଲା। ପ୍ରତ୍ୟେକ ଷ୍ଟେସନରେ ଆସୁଥିବା ତେଲୁଗୁ ଲେଖାକୁ ଚାହିଁ ରହୁଥିଲି। ମନେ ହେଉଥିଲା ମୁଁ ଧୀରେ ଧୀରେ ଭାରତର ଏକ ନୂଆ ଦୁନିଆକୁ ପ୍ରବେଶ କରୁଛି।
ଖରାବେଳେ ଟ୍ରେନ୍ ଯେତେବେଳେ ରାଜାମୁନ୍ଦ୍ରୀ ଷ୍ଟେସନ୍ରୁ ଛାଡ଼ିଲା, ସେତେବେଳେ ଝରକା ବାହାରର ଦୃଶ୍ୟ ଧୀରେ ଧୀରେ ବଦଳିବାକୁ ଲାଗିଲା।
ଦୂର ଯାଏଁ ପସରିଥିବା ସବୁଜ ନଡ଼ିଆ ଗଛ, ମଧ୍ୟେମଧ୍ୟେ ଦେଖାଯାଉଥିବା ଛୋଟ ଛୋଟ ଗାଁ, ଆଉ ଗରମ ପବନ ସହ ଆସୁଥିବା ନଦୀ ମାଟିର ଗନ୍ଧ ମନକୁ ଏକ ଅଲଗା ଶାନ୍ତି ଦେଉଥିଲା।
କିଛି ସମୟ ପରେ ଟ୍ରେନ୍ ଯେତେବେଳେ ଗୋଦାବରୀ ନଦୀ ଉପରେ ଥିବା ସେଇ ବିଶାଳ ଲମ୍ବା ସେତୁ ଉପରେ ଚଢ଼ିଲା, ସେତେବେଳେ ମୋ ହୃଦୟ ଧକ୍ଧକ୍ କରୁଥିଲା।
ପ୍ରଥମ ଥର ପାଇଁ ଏତେ ବଡ଼ ନଦୀ, ଏତେ ଲମ୍ବା ବ୍ରିଜ୍ ଦେଖୁଥିଲି। ଟ୍ରେନ୍ ଧୀରେ ଧୀରେ ଚାଲୁଥିଲା, ଆଉ ତଳେ ଅସୀମ ଜଳରାଶି। ସୂର୍ଯ୍ୟର ଆଲୋକ ପାଣି ଉପରେ ପଡ଼ି ଏମିତି ଚମକୁଥିଲା, ମନେ ହେଉଥିଲା ନଦୀ ଉପରେ ହଜାର ହଜାର ରୂପାର ଖଣ୍ଡ ଭାସୁଛି।
ସେ ସମୟର ଅନୁଭବକୁ ଆଜି ମଧ୍ୟ ଶବ୍ଦରେ କହିବା କଷ୍ଟକର। ମନରେ ଭୟ ମଧ୍ୟ ଥିଲା, ଆଉ ଅଜଣା ଆନନ୍ଦ ମଧ୍ୟ। ମୁଁ ଭାବୁଥିଲି — “ଯଦି ଟ୍ରେନ୍ ପାଣିରେ ପଡ଼ିଯାଏ? ଆମେ କିପରି ବଞ୍ଚିବୁ?” କାରଣ ଆମ ଘରେ କେବଳ ବାପାଙ୍କୁ ମାତ୍ର ପହଁରିବା ଆସୁଥିଲା।
କିନ୍ତୁ କିଛି ମିନିଟ୍ ପରେ ଟ୍ରେନ୍ ସେତୁ ପାର୍ ହେଲା ଆଉ ମୋ ମନରେ ଏକ ଅଜଣା ଶାନ୍ତି ଫେରିଆସିଲା।
ସେଇ ଦିନ ରାତି ପ୍ରାୟ ୮ଟା ବେଳେ ଆମ ଟ୍ରେନ୍ ପହଞ୍ଚିଲା “ଚେନ୍ନାଇ ଏଗମୋର” ଷ୍ଟେସନରେ। ସେପର୍ଯ୍ୟନ୍ତ ମୁଁ କେବେ ଏମିତି ଷ୍ଟେସନ୍ ଦେଖିନଥିଲି, ଯାହା ସମ୍ପୂର୍ଣ୍ଣ ଭାବେ ବିଶାଳ ଛାଦ ତଳେ ଢାକା ଥାଏ। ଭିତରେ ଠିଆ ହୋଇ ଘଡ଼ି ନଦେଖିଲେ ଦିନ କି ରାତି ତାହା ମଧ୍ୟ ବୁଝିହେଉନଥିଲା।
ମୋ ଭଳି ଗାଁର ସରଳ ପିଲା ପାଇଁ ଭୁବନେଶ୍ୱର ହିଁ ଥିଲା ସବୁଠାରୁ ବଡ଼ ସହର। ମୋର ଭାବନା ଥିଲା ଭୁବନେଶ୍ୱରଠାରୁ ବଡ଼ ଆଉ କିଛି ହୋଇପାରିବ ନାହିଁ। କିନ୍ତୁ ଚେନ୍ନାଇରେ ପାଦ ରଖିବା ପରେ ପ୍ରଥମ ଥର ପାଇଁ ଅନୁଭବ କଲି — ଦୁନିଆ ଆମ ଛୋଟ ଛୋଟ କଳ୍ପନାଠାରୁ କେତେ ଅଧିକ ବିଶାଳ।
ବାପା ୮୦ ଦଶକରେ ସେହି ସହରରେ କାମ କରୁଥିଲେ। ସେଥିପାଇଁ ତାମିଲ୍ ଭାଷାରେ ସେ ବହୁତ ସ୍ୱଚ୍ଛନ୍ଦ ଥିଲେ। ଷ୍ଟେସନ୍ ଠାରୁ ଆରମ୍ଭ କରି ସହରର ରାସ୍ତା, ଲୋକମାନଙ୍କ ଜୀବନଶୈଳୀ, ତାମିଲନାଡୁର ଉନ୍ନତି ଆଉ ସଂସ୍କୃତି ବିଷୟରେ ବାପା ମୋତେ ଅନେକ କଥା କହୁଥିଲେ।
ମୁଁ ଚୁପଚାପ ସେସବୁ ସୁଣୁଥିଲି ଆଉ ମନେ ମନେ ଅନୁଭବ କରୁଥିଲି ଯେ ମୁଁ ଧୀରେ ଧୀରେ ଏକ ନୂଆ ଦୁନିଆରେ ପ୍ରବେଶ କରୁଛି।
ଯାତ୍ରା ସମୟରେ ଟ୍ରେନ୍ ଯେଉଁ ଷ୍ଟେସନ୍ରେ ଅଟକୁଥିଲା, ସେଠାରେ ଯାହା ଖାଇବା ଟ୍ରେନ୍ ପାଖକୁ ଆସୁଥିଲା ଆମେ ପ୍ରାୟ ସବୁକିଛି କିଣି ଖାଉଥିଲୁ।
ସେଟା ବରା ହେଉ, ସିଙ୍ଗଡ଼ା ହେଉ, ଚା ହେଉ, ଝାଲମୁଡ଼ି ହେଉ କିମ୍ବା କାକୁଡ଼ିରେ ଲୁଣ-ଲଙ୍କା ଲଗାଇ ବେଚୁଥିବା ଲୋକ ହେଉ — ସବୁକିଛି ଆମ ପାଇଁ ସେତେବେଳେ ସ୍ୱାଦିଷ୍ଟ ଲାଗୁଥିଲା।
ଆଉ ଗୋଟିଏ ଜିନିଷ ଯାହା ସମ୍ଭବତଃ ସବୁଠାରୁ ଅଧିକ କିଣାଯାଉଥିଲା, ସେଟା ହେଉଛି ପାଣି ବୋତଲ। ସେ ସମୟରେ ଟ୍ରେନ୍ ଯାତ୍ରାର ଅର୍ଥ ହେଉଥିଲା — ପ୍ରତ୍ୟେକ ଦୁଇ ଘଣ୍ଟାରେ କାହାରି ନ କାହାରି କହିବା, “ପାଣି ସରିଗଲାଣି… ଆଉ ଗୋଟେ ବୋତଲ ନେଇଆସ!”
ମଜାର କଥା ହେଉଛି, ଯେତେ ପାଣି ଆମେ ସେ ୧୮ ଦିନର ଯାତ୍ରାରେ ପିଇଥିଲୁ, ମନେ ହୁଏ ଘରେ ସାରା ବର୍ଷରେ ମଧ୍ୟ ତେତେ ପିଉନଥିଲୁ।
ଏହି ଖାଇବା-ପିଇବା ସହିତ ଆମେ ତାସ୍ ମଧ୍ୟ ନେଇଥିଲୁ। ପ୍ରାୟ ୪୦ ଘଣ୍ଟାର ସେଇ ଦୀର୍ଘ ଯାତ୍ରାରେ “ବ୍ରେ” ଖେଳିବା ହିଁ ଥିଲା ଆମର ସବୁଠାରୁ ବଡ଼ ପାସ୍ଟାଇମ୍। କେବେ ଭାଇ ଜିତୁଥିଲା, କେବେ ବାପା, ଆଉ ମୁଁ ଅଧିକ ସମୟ ହାରିଲେ ମଧ୍ୟ କେବଳ ତାସ୍ ବାଣ୍ଟିବାରେ ବହୁତ ଖୁସି ହେଉଥିଲି।
ଏହା ଥିଲା ଟ୍ରେନରେ ଆମର ଦ୍ୱିତୀୟ ରାତି। ସମ୍ଭବତଃ ସବୁଠାରୁ ଅଧିକ ଅପେକ୍ଷାର ରାତି। କାରଣ ଆଜି ରାତି ପାହିଲେ କାଲି ସକାଳେ ଆମେ ପହଞ୍ଚିବାକୁ ଯାଉଥିଲୁ ଆମ ସ୍ୱପ୍ନର ଗନ୍ତବ୍ୟ — କନ୍ୟାକୁମାରୀ।
ଯାତ୍ରା ସମୟରେ ଅନେକ ଅଜଣା ଲୋକଙ୍କ ସହ ପରିଚୟ ହୋଇଥିଲା। କେହି କନ୍ୟାକୁମାରୀରେ ରୁହୁଥିଲେ, ଆଉ କେହି ସେଇ ଜାଗା ଆଗରୁ ବୁଲି ଆସିଥିଲେ।
ଆଶ୍ଚର୍ୟର କଥା ହେଉଛି, ସେମାନେ ଆମକୁ ସଂପୂର୍ଣ୍ଣ ନିଷ୍କାମ ଭାବେ ସହାୟତା କରୁଥିଲେ — କେଉଁଠି ରହିବା ଭଲ, କେଉଁ ହୋଟେଲ୍ ସସ୍ତା, କେଉଁ ସ୍ଥାନ ପ୍ରଥମେ ଦେଖିବା ଉଚିତ୍, ସବୁକିଛି ବିଷୟରେ ଅତ୍ୟନ୍ତ ଆତ୍ମୀୟତାର ସହ କହୁଥିଲେ।
ଆଜି ସେମାନଙ୍କ ନାଁ ମୋର ମନେ ନଥାଇପାରେ, କିନ୍ତୁ ସେ ଯାତ୍ରାରେ ମିଳିଥିବା ସେଇ ଅଜଣା ଲୋକଙ୍କ ଭଲପାଇବା ଆଉ ସରଳ ବ୍ୟବହାର ଆଜି ମଧ୍ୟ ମୋ ମନରେ ସେମିତି ତାଜା ହୋଇ ରହିଛି।
ପରଦିନ ସକାଳ ପ୍ରାୟ ୭ଟା ବେଳେ ଟ୍ରେନ୍ ପହଞ୍ଚିଲା ମଦୁରାଇ ଷ୍ଟେସନରେ। ସେତେବେଳେ ଆମ ମନର ଉତ୍ସାହ ଆଉ ବଢ଼ିଯାଇଥିଲା। କାରଣ ଆମେ ଜାଣିଥିଲୁ, ଆଉ କେବଳ କିଛି ଘଣ୍ଟା ପରେ ଆମେ ପହଞ୍ଚିଯିବୁ ଭାରତର ଶେଷ ସୀମା — କନ୍ୟାକୁମାରୀରେ।
କଥାବାର୍ତ୍ତା ଭିତରେ ବାପା କହୁଥିଲେ, ଫେରିବା ବେଳେ ମଦୁରାଇରେ କିଛି ସମୟ ରୁହି ମା ମୀନାକ୍ଷୀ ମନ୍ଦିର ଦର୍ଶନ କରିବା। ସେତେବେଳେ ମୁଁ କେବଳ ଝରକା ବାହାରକୁ ଚାହିଁ ଭାବୁଥିଲି — ସତରେ କି ଆମେ ଏତେ ଦୂର ଆସିପହଞ୍ଚିଲୁ!
କଥାବାର୍ତ୍ତା ଭିତରେ କେତେବେଳେ ଟ୍ରେନ୍ ପହଞ୍ଚିଗଲା “ନାଗରକୋଇଲ୍” ଷ୍ଟେସନରେ, ତାହା ଆମେ ଧ୍ୟାନ ମଧ୍ୟ ଦେଇପାରିନଥିଲୁ। ସେଠାରୁ ପରବର୍ତ୍ତୀ ଆଉ ଶେଷ ଷ୍ଟେସନ୍ — କନ୍ୟାକୁମାରୀ। ଏହା ଶୁଣିବା ମାତ୍ରେ ମନ ଭିତରେ ଏକ ଅଜଣା ଖୁସିର ଲହରୀ ଖେଳିଉଠିଲା। ଏତେ ଦିନର ଅପେକ୍ଷା, ଏତେ ଦୂର ଯାତ୍ରା… ଆଉ ଏବେ ଗନ୍ତବ୍ୟ କେବଳ କିଛି ମିନିଟ୍ ଦୂରେ।
ହଠାତ୍ ମୋତେ ପୁରୀ ଯାତ୍ରାର କଥା ମନେ ପଡ଼ିଗଲା। ପୁରୀ ପୂର୍ବର “ମାଲତୀପାଟପୁର” ଷ୍ଟେସନ୍ ଆସିଲେ ଯେପରି ମନରେ ଅଜଣା ଉତ୍ସାହ ଜାଗିଉଠେ, ଠିକ୍ ସେହି ଅନୁଭୂତି ମୋତେ ନାଗରକୋଇଲ୍ ଛାଡ଼ିବା ପରେ ହେଉଥିଲା।
ନାଗରକୋଇଲ୍ ଠାରୁ କନ୍ୟାକୁମାରୀ ମଧ୍ୟର ଦୃଶ୍ୟ ଆଜି ମଧ୍ୟ ମୋ ଆଖିରେ ସେମିତି ତାଜା ହୋଇ ରହିଛି। ଦୁଇପାର୍ଶ୍ୱରେ ଘନ ସବୁଜ ଗଛ, ମଧ୍ୟେମଧ୍ୟେ ଦେଖାଯାଉଥିବା ଛୋଟ ଗାଁ, ପବନ ସହ ଆସୁଥିବା ମାଟିର ଭିଜା ସୁଗନ୍ଧ ଆଉ ଦୂରର ପାହାଡ଼ ଭିତରେ ଲୁଚିଥିବା ମେଘ — ସବୁକିଛି ମିଶି ଏକ ସ୍ୱପ୍ନ ଭଳି ଲାଗୁଥିଲା। ଚେନ୍ନାଇର ବ୍ୟସ୍ତତା ପରେ ଏହି ପ୍ରକୃତିର ଶାନ୍ତ ସୌନ୍ଦର୍ଯ୍ୟ ମନକୁ ଅଦ୍ଭୁତ ଶାନ୍ତି ଦେଉଥିଲା।
ମନେ ହେଉଥିଲା ଟ୍ରେନ୍ ରେଳ ଲାଇନ୍ ଉପରେ ନୁହେଁ, ପ୍ରକୃତିର କୋଳ ଭିତରୁ ଧୀରେ ଧୀରେ ଗତି କରୁଛି। ଝରକା ପାଖରେ ବସି ମୁଁ କେବଳ ବାହାରକୁ ଚାହିଁ ରହିଥିଲି। ସେ ସମୟରେ ମନ ଭିତରେ ଯେଉଁ ଖୁସି ଥିଲା, ତାହାକୁ ସମ୍ଭବତଃ ଶବ୍ଦରେ କହିହେବ ନାହିଁ।
ଶେଷରେ ଦୁପର ପ୍ରାୟ ୨ଟା ବେଳେ ଆମ ଟ୍ରେନ୍ ପହଞ୍ଚିଲା କନ୍ୟାକୁମାରୀରେ। ଗତ କିଛି ମାସ ଧରି ଯେଉଁ ସ୍ଥାନକୁ ନେଇ କେବଳ କଳ୍ପନା କରୁଥିଲୁ, ଆଜି ସେଇ ସ୍ୱପ୍ନ ଆମ ଆଖି ସାମ୍ନାରେ ସତ୍ୟ ହୋଇ ଠିଆ ହୋଇଥିଲା।
ଆମେ ରହିବା ପାଇଁ ବିବେକାନନ୍ଦ ଟ୍ରଷ୍ଟର ଗୋଟିଏ କଟେଜ୍ ନେଇଥିଲୁ। ଖର୍ଚ୍ଚ ଖୁବ କମ୍ ଥିଲା, କିନ୍ତୁ ସ୍ଥାନଟା ଅସାଧାରଣ ଭାବେ ଶାନ୍ତ ଆଉ ସୁନ୍ଦର। ଚାରିପାଖରେ ସମୁଦ୍ର ପବନ, ନିରବ ପରିବେଶ ଆଉ ଅଜଣା ଏକ ଆଧ୍ୟାତ୍ମିକ ଅନୁଭୂତି ମନକୁ ଅଲଗା ଶାନ୍ତି ଦେଉଥିଲା।
ସ୍ନାନ ସାରି ମଧ୍ୟାହ୍ନ ଭୋଜନ କରି ଆମେ ସନ୍ଧ୍ୟା ପ୍ରାୟ ୪ଟା ବେଳେ ବାହାରିଲୁ ବିବେକାନନ୍ଦ ରକ୍ ଆଉ ତିରୁଭାଲ୍ଲୁଭରଙ୍କ ବିଶାଳ ମୂର୍ତ୍ତି ଦେଖିବାକୁ।
କଟେଜ ରୁ ଅଟୋ ଷ୍ଟାଣ୍ଡ ଦିଗକୁ ଚାଲିଯାଉଥିବା ବେଳେ ରାସ୍ତା କଡ଼ରେ ଅନେକ ବୋର୍ଡ ଦେଖିଲି, ସେଥିରେ ଲେଖାଥିଲା — “No Spitting”। ସେ ବୟସରେ “Spitting” ମାନେ କଣ ମୁଁ ଜାଣୁନଥିଲି। ତେଣୁ ମାଙ୍କୁ ପଚାରିଲି, “ଏହାର ଅର୍ଥ କଣ?”
ମା ହସି କହିଲେ, “ଛେପ ପକାଇବା ମନା।”
ମୁଁ ଆଶ୍ଚର୍ୟ ହୋଇ ସହଜରେ କହିଦେଲି, “ତାହେଲେ ଆମ ସ୍କୁଲର ସବୁ ସିନିୟର ସାର୍ ମାନେ ଏଠାକୁ କିପରି ଆସିବେ? ସେମାନେ ତ ସବୁବେଳେ ପାନ ଖାଇ ପ୍ରତି ଦଶ ମିନିଟ୍ରେ ଲାଲ ଲାଲ ଛେପ ପକାଉଥାନ୍ତି!”
ମୋ କଥା ଶୁଣି ସମସ୍ତେ ହସିଉଠିଲେ, ଆଉ ମୁଁ ସେତେବେଳେ ମଧ୍ୟ ସମ୍ପୂର୍ଣ୍ଣ ଗମ୍ଭୀର ଭାବେ ଭାବୁଥିଲି — ସତରେ ଏଠାରେ ପାନ ଖାଇବା ଲୋକଙ୍କ ପାଇଁ ବହୁତ କଷ୍ଟ ହେବ!
ସେଇ ହସ-ମଜାର ଭାବନା ଭିତରେ ଆମେ ବୋଟ୍ ଘାଟକୁ ପହଞ୍ଚିଗଲୁ। ସମୁଦ୍ର ମଝିରେ ଥିବା ବିବେକାନନ୍ଦ ରକ୍ ପହଞ୍ଚିବାକୁ କେବଳ ୫–୭ ମିନିଟ୍ର ବୋଟ୍ ଯାତ୍ରା ଲାଗିଲା, କିନ୍ତୁ ସେଇ କିଛି ମିନିଟ୍ ମୋ ଜୀବନରେ ଚିରସ୍ମରଣୀୟ ହୋଇ ରହିଗଲା।
ସେଠାରେ ପାଦ ରଖିବାମାତ୍ରେ ଏକ ଗଭୀର ଶାନ୍ତିର ଅନୁଭୂତି ମନକୁ ଢାକିଦେଲା। ଧ୍ୟାନ କକ୍ଷଟି ସମ୍ପୂର୍ଣ୍ଣ ନିରବ ଥିଲା। ମନେ ହେଉଥିଲା, ଯଦି କେହି ଟିକେ ଧୀରେ ଶ୍ୱାସ ନେଲେ ମଧ୍ୟ ସେ ଶବ୍ଦ ସମଗ୍ର ପରିବେଶରେ ପ୍ରତିଧ୍ୱନି ହେଇଯିବ। ସେଇ ନିରବତାରେ ଏକ ଅଜଣା ଆଧ୍ୟାତ୍ମିକ ଶକ୍ତି ଲୁଚିଥିବା ପରି ଲାଗୁଥିଲା।
ସେଠାରେ ଥିବା ଗୋଟିଏ ପୁସ୍ତକ ଦୋକାନରେ ମୋର ଦୋକାନୀଙ୍କ ସହ ଦୀର୍ଘ ସମୟ କଥା ହେଲା। ସେ ବହୁତ ଜ୍ଞାନୀ ଆଉ ସରଳ ମନର ଲୋକ ଥିଲେ। ତାଙ୍କ ସହ କଥା କହୁଥିବା ବେଳେ ସମୟ କେମିତି ଗଲା ମୁଁ ଜାଣିପାରିଲି ନାହିଁ।
ତା’ପରେ ମୁଁ ଆଗକୁ ଚାଲିଗଲି। ଚାରିପାଖରେ ଥିବା ମନ୍ଦିର, ସ୍ମାରକ, ଆଉ ସମୁଦ୍ରର ଲୁଣା ହାୱା — ସବୁକିଛି ମିଶି ମୋ ମନକୁ ଭରିଦେଉଥିଲା। ମନେ ହେଉଥିଲା ଯେପରି ମୁଁ କେବଳ ଏକ ସ୍ଥାନ ଦେଖୁନଥିଲି, ଏକ ଅନୁଭୂତି ଜୀବନରେ ବଞ୍ଚୁଥିଲି।
ଗୋଟିଏ ସ୍ଥାନରେ ଠିଆ ହୋଇ ମୁଁ ଯେ ଦୃଶ୍ୟ ଦେଖିଲି, ସେଟା ଆଜି ମଧ୍ୟ ମୋ ମନରେ ଜୀବନ୍ତ। ଦୁଇଟି ଭିନ୍ନ ରଙ୍ଗର ସମୁଦ୍ର ଜଳ ଏକାଠି ଆସି ମିଶୁଥିଲା। ଗୋଟିଏ ଗାଢ଼ ନୀଳ ରଙ୍ଗର — ପୁରୀରେ ଯାହା ମୁଁ ଦେଖିଥିଲି ସେଇ ବଙ୍ଗୋପସାଗର, ଆଉ ଅନ୍ୟଟି ହାଲୁକା ସବୁଜ ଛାୟାର — ଯାହାକୁ ମୁଁ ସେତେବେଳେ ଆରବ ସାଗର ଭାବିଥିଲି।
ଆଶ୍ଚର୍ୟର କଥା ହେଉଛି, ଦୁଇଟି ଜଳର ମଧ୍ୟରେ ଏକ ସ୍ପଷ୍ଟ ସୀଧା ରେଖା ଦେଖାଯାଉଥିଲା। ମନେ ହେଉଥିଲା ସେମାନେ ପାଖାପାଖି ଥିଲେ ମଧ୍ୟ, ନିଜ ନିଜ ପରିଚୟ ହାରାଇବାକୁ ଚାହୁଁନଥିଲେ, ଯେପରି ଦୁଇଟି ଭିନ୍ନ ଦୁନିଆ ଏକେ ମଞ୍ଚରେ ଠିଆ ହୋଇଛି।
ସମୁଦ୍ରର ପବନ ଏତେ ଶୀତଳ, ଏତେ ସତେଜ ଥିଲା ଯେ ମନେ ହେଉଥିଲା ଫୁସଫୁସ ନୁହେଁ, ଆତ୍ମା ଶ୍ୱାସ ନେଉଛି। ସେଇ ଶାନ୍ତ ଲହରୀର ଶବ୍ଦ, ଦୂରରେ ଭାଙ୍ଗୁଥିବା ତରଙ୍ଗର ଧ୍ୱନି, ଆଉ ଆକାଶ ସହ ମିଶିଯାଉଥିବା ନୀଳିମା — ସବୁକିଛି ମିଶି ଏକ ଅଦ୍ଭୁତ ସମାନ୍ତର ସୃଷ୍ଟି କରିଥିଲା।
କିନ୍ତୁ ସେଇ ଶାନ୍ତ ସୌନ୍ଦର୍ଯ୍ୟ ଭିତରେ ଏକ ଗଭୀର ସତ୍ୟ ମଧ୍ୟ ଲୁଚିଥିଲା। ଏହି ସମୁଦ୍ର, ଯାହା ଆଜି ଏତେ ଶାନ୍ତ ଆଉ ସୁନ୍ଦର ଲାଗୁଥିଲା, ଯଦି କେବେ ତାର ଭୟଙ୍କର ରୂପ ନେଇଯାଏ, ତେବେ ସମଗ୍ର ସଭ୍ୟତାକୁ ଧ୍ୱଂସ କରିଦେବାର ଶକ୍ତି ତା’ର ଭିତରେ ରହିଛି। ଏକେ ସମୁଦ୍ର — ଏକ ପକ୍ଷରେ ଜୀବନର ଶାନ୍ତି, ଆଉ ଅନ୍ୟ ପକ୍ଷରେ ପ୍ରକୃତିର ଭୟଙ୍କର ଶକ୍ତି।
ସେତେବେଳେ ମନରେ ଗଭୀର ଭାବରେ ଅନୁଭବ ହେଲା — ଏହା କେବଳ ସମୁଦ୍ର ନୁହେଁ, ଏହା ଏକ ସୃଷ୍ଟିର ଆଶ୍ଚର୍ୟ। ଭଗବାନଙ୍କର ଏମିତି ଏକ ରଚନା, ଯେଉଁଠି ସୌନ୍ଦର୍ଯ୍ୟ ଆଉ ଭୟ — ଦୁଇଟି ଏକାସାଥି ରହିଛି, ଏକେ ନିରବ ଭାବରେ।
ସେତେବେଳେ ହଠାତ୍ ମୋ ନଜର ପଡ଼ିଲା ଗୋଟିଏ କୁଞ୍ଚୁକୁଞ୍ଚିଆ କେଶ ଥିବା ଝିଅ ଉପରେ। ବୟସ୍ ସମ୍ଭବତଃ ମୋ ସମାନ, କିନ୍ତୁ ସେ ମୋ ଆଖିରେ ସେତେବେଳେ କୌଣସି ସିନେମା ନାୟିକାଠାରୁ କମ୍ ନୁହେଁ, ବରଂ ଅଧିକ ଆକର୍ଷଣୀୟ ଲାଗୁଥିଲା।
ତା’ର ପୋଷାକ ସମ୍ପୂର୍ଣ୍ଣ ପଶ୍ଚିମୀ ଢଙ୍ଗର — ହଳଦିଆ ରଙ୍ଗର ହାତ ନଥିବା ଟପ୍ ଆଉ ଆଣ୍ଠୁର ଠିକ୍ ଉପରକୁ ଥିବା କଳା ସ୍କର୍ଟ। ସୂର୍ଯ୍ୟ ଆଲୋକରେ ତା’ର ଠୋଠରେ ଲାଗିଥିବା ଚକଚକିଆ ଲିପ୍ ଗ୍ଲସ୍ ଏମିତି ଚମକୁଥିଲା ଯେ ମୁଁ କିଛି ମୁହୂର୍ତ୍ତ ପାଇଁ ଆଖି ଫେରାଇପାରୁନଥିଲି।
ସତ କହିଲେ, ସେତେବେଳେ “ଲିପ୍ ଗ୍ଲସ୍” ବୋଲି କିଛି ଥାଏ ବୋଲି ମୁଁ ଜାଣୁନଥିଲି। ଆମ ଗାଁ, ଆମ ପରିବାର କିମ୍ବା ସଙ୍ଗମାନଙ୍କ ମଧ୍ୟରେ ଏମିତି କିଛି ଦେଖିବା ମଧ୍ୟ ଅସମ୍ଭବ ଥିଲା। ସେଇ ଅଜଣା ଚମକ ମୋ ମନକୁ ଅଜଣା ଭାବରେ ଆକର୍ଷିତ କରୁଥିଲା।
ପଶ୍ଚିମ ଦିଗରୁ ବହୁଥିବା ସମୁଦ୍ର ପବନ ତା’ର କୁଞ୍ଚୁକୁଞ୍ଚିଆ କେଶକୁ ଛୁଇଁ ଆଉ ଅଧିକ ଲହରୀ ଭରିଦେଉଥିଲା। ସେଇ କେଶର ଢେଉ, ପବନର ଖେଳ, ଆଉ ସମୁଦ୍ରର ଶବ୍ଦ — ସବୁକିଛି ମିଶି ତା’କୁ ଏକ ଅଲଗା ଜଗତର ଚିତ୍ର ପରି ଦେଖାଉଥିଲା।
ଆଉ ସବୁଠାରୁ ଅଧିକ ମନରେ ରହିଗଲା ତା’ର ଆଖି। ସେଇ ଅଳ୍ପ ବିଷାଦଭରା, ଧୂସର ଆଖି ଦୁଇଟି — ଯେଉଁଥିରେ ଏକ ଅଜଣା ଗଭୀରତା ଥିଲା। ସେ ଆଖିରେ ଏମିତି କିଛି ଥିଲା, ଯାହା ମୋତେ ଅଜଣା ନିଶାରେ ଡୁବାଇଦେଉଥିଲା।
ଏମିତି ଏକ ନିଶା, ଯାହାରୁ ମୁଁ ଚାହିଲେ ମଧ୍ୟ ବାହାରିପାରୁନଥିଲି। ମୁଁ ଜାଣୁଥିଲି ମୁଁ ଗୋଟିଏ ଧାର୍ମିକ ସ୍ଥାନରେ ଅଛି, କିନ୍ତୁ ସେ ମୁହୂର୍ତ୍ତରେ ମୋ ନଜରକୁ ନିୟନ୍ତ୍ରଣ କରିପାରୁନଥିଲି। କଣ ଠିକ୍, କଣ ଭୁଲ — ସେ ବୟସରେ ସେ ବୁଝିବା ଶକ୍ତି ମୋର ନଥିଲା। ଏହା ପାପ କି ନୁହେଁ, ସେଥି ମଧ୍ୟ ମୁଁ ଜାଣୁନଥିଲି।
ମୁଁ କେବଳ ତା’ର ପଛେ ପଛେ ଚାଲୁଥିଲି… କାରଣ ସେ ମଧ୍ୟ ଯାଉଥିଲା ତିରୁଭାଲ୍ଲୁଭର ରକ୍ ଦିଗକୁ। ମନେ ହେଉଥିଲା ଯେପରି ସମୁଦ୍ର, ପବନ ଆଉ ଏହି ଅଜଣା ଆକର୍ଷଣ — ସବୁକିଛି ମୋତେ ଏକ ଅଜଣା କାହାଣୀ ଦିଗକୁ ଟାଣିନେଉଛି।
ସେ ଦିନ ସେଠାରେ ମୋର ଯାତ୍ରା କେବଳ ସ୍ଥାନ ଦେଖିବା ନଥିଲା… ମନେ ହେଉଥିଲା ମୁଁ ନିଜକୁ ମଧ୍ୟ ପ୍ରଥମ ଥର ପାଇଁ ଆବିଷ୍କାର କରୁଥିଲି।
ଚାପ୍ଟର ୧ ଏଠିରେ ଶେଷ ହେଲା।
ଚାପ୍ଟର ୨ରେ ଆମେ ଆଗକୁ ଚାଲିବୁ…
କ୍ରମଶଃ…